ମିୟୋଗ ଲେଖନ୍ତି ଅଳପ, ପଢ଼ନ୍ତି ଅଧିକ। କାହାଣୀ ଅପେକ୍ଷା କାହାଣୀ କହିବାର କୌଶଳଟି ତାଙ୍କ ଗଳ୍ପକୁ ଅଧିକ ରୁଚିକର କରିଛି। ସାମାଜିକ ପ୍ରସଙ୍ଗକୁ ଭିତ୍ତି କରି ପୂର୍ବରୁ ଉପନ୍ୟାସ ଲେଖି ସାରିଥିବା ମିୟୋଗଙ୍କର କାହାଣୀ କିନ୍ତୁ କେବେ କେବେ ସାମାଜିକ ଓ ଜାଗତିକ ପରିଧି ଡେଇଁ ପାଠକକୁ ଏକ ଭିନ୍ନ ଭୂଇଁକୁ ଭିଡ଼ିନିଏ; ଯେଉଁଠି ଚାଲିଥାଏ କୁହୁକ ସହ ବାସ୍ତବତାର ଯୁଗଳ ଖରାଛାଇ ଖେଳ; ଯେଉଁଠି ଚରିତ୍ରମାନେ ଲେଖକ ହାତରେ କ୍ରୀଡ଼ନକ ହୋଇ ଉଭାହୁଅନ୍ତି; ଯେଉଁଠି ଏକ ସମାନ୍ତରାଳ ପୃଥିବୀର ସଂରଚନା କରନ୍ତି ମିୟୋଗ; ଏବଂ ଯେଉଁଠି ଅବିଶ୍ବସନୀୟ ବୈଚିତ୍ର୍ୟମୟତା ବି ପାଠକଙ୍କୁ କାହାଣୀମୁଖୀ କରିବାକୁ ବାଧ୍ୟକରେ। ‘ଅନ୍ଧାରର ଇତିହାସ’ ନାମରେ ଏକ ଉପନ୍ୟାସ ଓ ‘ଏନ୍ତ୍ରୋପି ଅଫ୍ ଥଟ୍ସ’ ନାମରେ ଏକ କବିତା ସଂକଳନର ଲେଖକ ମିୟୋଗ ରଞ୍ଜନ ପାତ୍ରଙ୍କର ପ୍ରଥମ ଗଳ୍ପ ସଂକଳନ ହେଉଛି ‘ବନ୍ଦୀ’।